Kalijai Re Sandhya Lyrics:
କାତ ଧରି ଧୀରେ ନାଉରି
ନାଆ ଦେଇଛି ମେଲି,
ଉତ୍ତରା ପବନ ଆଗକୁ
ଦିଏ ତଲେଇ ଠେଲି ||
ନାଚି ନାଚି ଖେଳେ ତରଣୀ
ନାଚେ ଶତ ତରଙ୍ଗ,
ଉଡି ଆସି ଜଳେ ଭାସନ୍ତି
କାହିଁ କେତେ ବିହଙ୍ଗ ।||
ହଂସ ହଂସରାଳୀ ଖେଳନ୍ତି
ଢେଉ ଦୋଳିରେ ଖେଳ,
ଆସିଲାଣି ଖରା ମଉଳି
ଛାଇ ଲେଉଟା ବେଳ ।||
ମାଛରଙ୍କା ପକ୍ଷୀ ଉଡଇ
ଡେଣା ଝାଡ଼ି ଆକାଶେ,
ଲକ୍ଷ୍ୟ ରଖି ଜଳେ ବୁଡଇ
ମୀନ ଧରିବା ଆଶେ ।||
ଚାହୁଁ ଚାହୁଁ ଯାଇ ଗଭୀର
ଜଳେ ପଡିଲା ନାଆ,
ଅକାତ ପାଣି ସେ ଗଣ୍ଡରେ
କାଳିଜାଇ ତା ନାଆଁ ।
କାତ ରଖି ନାବେ ନାଉରି
ନେଲା ଆହୁଲା କରେ,
ମା କାଳିଜାଇ ସୁମରି
ମଙ୍ଗ ସଳଖି ଧରେ ।
ନୀଳ ଊର୍ମିମାଳା ଉଠଇ
ବହେ ପବନ ଖର,
ଛିଟିକି ପଡଇ ନାଆରେ
ପାଣି ଥରକୁ ଥର ।
ନାଆ ପାଶେ ଖେଳେ ମଗର
ବୁଡି ଛଟକି ଉଠେ,
ଖେଳେ ଶିଶୁମାର ଶାଙ୍କୁଚ
ପୁଣି ଲାଙ୍ଗୁଡ଼ ପିଟେ ।
ପାରି ହୋଇ ଗଣ୍ଡ ବିଷମ
ନାଆ ଲାଗିଲା କୂଳେ,
ସୁଷମା ନିରେଖି ଉଠିଲା
ଶ୍ୟାମ ଶଇଳ ଚୁଳେ ।
ବୁଡି ଯାଉଥିଲେ ସବିତା
ଦୂର ଭାଲେରି ଶିଖେ,
ଉଡି ଆସୁଥିଲେ ବିହଙ୍ଗ
ସୁଖେ ଜଟିଆ ମୁଖେ ।
ଅସ୍ତଗାମୀ ରବି କିରଣ
ପଡି ଚିଲିକା ଜଳେ,
ଦିଶଇ ପ୍ରବାଳ ବାରଣ
ଶୋଭା ବଚନ ବଳେ ।
ଚଢେଇଗୁହାର ଶିଖକୁ
ଚାହିଁ ଉଡଇ ଏରା,
ଲୋହିତ ଧବଳ ପକ୍ଷରେ
କେଡେ ଦିଶଇ ତୋରା ।
ଭାଲେରୀ ପାହାଡ଼ ଉହାଡେ
ଲୁଚି ଗଲେଣି ରବି,
ପଶ୍ଚିମ ଆକାଶେ ଝଟକେ
ପୀତ ଲୋହିତ ଛବି ।
ଦିଶେ ପାରିକୁଦ ମାଲୁଦ
ଦୂରୁ ଛାୟା ପରାୟେ,
ସନ୍ଧ୍ୟାତାରା ନଭେ ହିରନ
ସମ କି ଶୋଭା ପାଏ ।
ଦେଖୁଛି ଚିଲିକା ସପନେ
ତୋର ଅତୀତ ଶିରୀ,
ମୁହାଣୁ ତୋହର ବୋଇତ
ଯେବେ ଥିବ ବାହାରି ।
ସିନ୍ଧୁ ପାରେ ଯାଇ ଓଡ଼ିଆ
ପୁଏ କରି ବେପାର,
ଆଣୁଥିଲେ ବୋହି ଦେଶକୁ
ଧନରତ୍ନ ଅପାର ।
ଆଜି ଏ ମୁହାଣ ପାଶେ କି
ଗଢା ହେବ ବନ୍ଦର,
ବିପଣି ମାଳାରେ ବିଜନ
ବେଳା ହେବ ମୁଖର ।
ତୋ ଜଳେ ଶରତେ ଭାସନ୍ତି
କେତେ ମରାଳ ପନ୍ତି,
ଭାସିବେ କି ସିନ୍ଧୁ ସଲିଳେ
ତୋର ପୋତ ପଙ୍କାତି ।
ବିଦେଶ ବେପାରୀ ଆଣିବେ
ଦେଶେ ନାନା ବିଭବ,
ଫେରିବ କି ଶୋଭାମୟୀ ଗୋ
ତୋର ଲୁପ୍ତ ଗୌରବ ।
..........The End..........
Kalijai Re Sandhya Video
Written by: Pandit Godabarish Mishra
ଏହାକୁ ଗୋଦାବରୀଶ ଲେଖିଛନ୍ତି କି? ଯଦି ଲେଖିଛନ୍ତି ତେବେ, କେଉଁ ସଙ୍କଳନରେ ଅଛି?
ReplyDeletePost a Comment
If you have any questions or comments, please don't hesitate to contact us.